Unknown

 

 

 

 

 

 

 

 

 

 

 

ଭାନୁମତୀ ଚଉତିଶା

ଶ୍ରୀ ନରହରି ବିପ୍ର

 

(କବି ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର । କବିଙ୍କ ସମ୍ପର୍କରେ ବିଶେଷ ତଥ୍ୟ ମିଳୁନାହିଁ । ଓଡ଼ିଆ ସାହିତ୍ୟରେ ପ୍ରାୟ ଚାରିଜଣ ନରହରି ନାମ ଧାରୀ କବି ରହିଥିବା ଜଣାଯାଏ ।-(୧) ନରହରି-ଆନୁମାନିକ ଊନବିଂଶ ଶତାବ୍ଦୀ । ତାଙ୍କର ‘ଶାଶୂବୋହୂ ଛଟା’ ରଚନା ରହିଛି ।-(୨) ନରହରି କବିଚନ୍ଦ୍ର-ଆନୁମାନିକ ଊନବିଂଶ ଶତାବ୍ଦୀ । ସେ ‘ଆଧ୍ୟାତ୍ମ ରାମାୟଣ’ର ଟୀକା କରିଛନ୍ତି । (୩) ନରହରି ଦାସ-ଆନୁମାନିକ ଊନବିଂଶ ଶତାବ୍ଦୀ । କେତେକ ପ୍ରେମ କବିତାର ରଚୟିତା । (୪)-ନରହରି ବିପ୍ର । କବି ଚଉତିଶାର ଶେଷରେ ‘ନରହରି ବ୍ରାହ୍ମଣ’ ନାଁରେ ନିଜର ପରିଚୟ ଦେଇଛନ୍ତି । ତେଣୁ ନରହରି ବିପ୍ର ଉକ୍ତ ଚଉତିଶାର ରଚୟିତା ବୋଲି ଆମେ ଧରି ନେଇଛୁ । ସେ କେତେକ ଜଣାଣ, ଭଜନ ଓ ଭାନୁମତୀ କୋଇଲି’ ରଚନା କରିଛନ୍ତି । ମହାଭାରତ'ର ଆଖ୍ୟାନ ଉପରେ ଆଧାରିତ ଉକ୍ତ ଚଉତିଶାଟି । ଦୁର୍ଯ୍ୟୋଧନର ସ୍ତ୍ରୀ ଭାନୁମତୀ ସ୍ୱାମୀଙ୍କୁ ଯୁଦ୍ଧରୁ ଓହରି ଯିବା ପାଇଁ ଅନୁରୋଧ ଜଣାଇଛି । ଭାଷା ସୁନ୍ଦର, ମାର୍ଜିତ ଓ ବୋଧଗମ୍ୟ ।)

 

କହେ ଭାନୁମତୀ ହେ କୁରୁପତି । କିମ୍ବା ପାଣ୍ଡବେ କରୁଛ ଅପ୍ରୀତି ।

କରୁଛ ତାଙ୍କୁ ଯେତେ ଅପମାନ । କରୁଛ ତାହା ଆଗକୁ ସଞ୍ଚନ ସେ ।

କିମ୍ଫା ସୋଦର ବିପକ୍ଷ ହେ ।

କର୍ମ ଆଦରି ଯୁଧିଷ୍ଠିରଅଛନ୍ତି ଧର୍ମ ତାଙ୍କ ସାହାପକ୍ଷ ହେ ।୧।

 

ଖଳନାଶନ ଦେବ ଦାମୋଦର । କ୍ଷଣେ ନ ଛାଡ଼ନ୍ତି ସଙ୍ଗ ତାଙ୍କର ।

ଖଗପତି ଯାକୁ ସାହା ଅଛନ୍ତି । ଖଳ ଲୋକଙ୍କୁ ବା କି ତାଙ୍କର ଭୀତି ଯେ ।

ଖଳ ବୁଦ୍ଧିରେ ନ ପଶ ହେ ।

ଖେଳାଉ ଖେଳାଉ ସର୍ପଦଂଶିଦେଲେ କାହାକୁ ଦେବାତ ଦୋଷ ହେ ।୨।

 

ଗୋବିନ୍ଦ ଦୂତ ପଣେ ଆସିଥିଲେ । ଗଉରବ କରି ପଡ଼ା ମାଗିଲେ ।

ଗରବେ ତାଙ୍କୁ ନ ଦେଲ ଉତ୍ତର । ଗାଳିଦେଲେ ତାଙ୍କୁ ନାନା ପ୍ରକାର ସେ ।

ଗରବ ଗଞ୍ଜନ ହରି ଯେ ।

ଗଲାବେଳେ ଯେତେ ଦୁଃଖ ଦେଇଅଛଦେବେ କଳନ୍ତର ଭରି ଯେ ।୩।

 

ଘୋର ବନରେ ବୁଲି ପଞ୍ଚଭ୍ରାତ । ଘେନି ସଙ୍ଗତରେ ଘରଣୀ ମାତ ।

ଘୋର ଯୁଦ୍ଧ କଲେ ଗିରି ବନର । ଘେନିଲେ ପ୍ରାଣ ଦୁଷ୍ଟ ଦୈତ୍ୟଙ୍କର ସେ ।

ଘନ ବରନ ଶ୍ରୀପତି ଯେ ।

ଘଞ୍ଚାଳ କରୁଛ ତାହାଙ୍କ ସଙ୍ଗରେନ ଜାଣ କି ତାଙ୍କ ରୀତି ହେ ।୪।

 

ଉମା ଅଟନ୍ତି ଦ୍ରୁପଦ ଦୁହିତା । ଉତ୍ସର୍ଗ କଲେ ତୁମ୍ଭ ପତି ଭ୍ରାତା ।

ଉଭା କଲା ନେଇ ସଭାର ତଳେ । ଉଲଗ୍ନ କଲ ଧରି ନେଇ ବଳେ ସେ ।

ନୟନ ଅନଳେ ଚାହିଁ ଯେ ।

ନୟନୁ ଅନଳ ପଡ଼ିବା ମାତ୍ରକେତୁମ୍ଭ ପୁର ହେଲା ଦହି ହେ ।୫।

 

ଭାବାର୍ଥ-(୧-୫) ଦୁର୍ଯ୍ୟୋଧନର ସ୍ତ୍ରୀ ଭାନୁମତୀ ସ୍ଵାମୀଙ୍କୁ କହିଲା-ହେ କୁରୁପତି, ପାଣ୍ଡବମାନଙ୍କ ପାଖରେ କାହିଁକି ଅପ୍ରୀତି କରୁଛି ? ସେମାନେ ତୁମର ଭାଇ । ତାଙ୍କୁ କାହିଁକି ଅପମାନ ଦେଉଛ ? କର୍ମ ଆଦରି ଯୁଧିଷ୍ଠିର ଅଛନ୍ତି । ଧର୍ମ ତାଙ୍କର ସାହା । ଦୁଷ୍ଟ ନାଶକାରୀ ଦେବ ଦାମୋଦର, ସଦାସର୍ବଦା ତାଙ୍କ ପାଖରେ ରହିଛନ୍ତି । ଭଗବାନ ଯାହାକୁ ସାହା, ତୁମେ କ'ଣ କରିପାରିବ ? ଖଳ ବୁଦ୍ଧି ଛାଡ଼ । ସର୍ପକୁ ଖେଳାଉ ଖେଳାଉ ଯଦି ସେ ଦଂଶନ କରେ, କାହାକୁ ଦୋଷ ଦେବା ? ଶ୍ରୀକୃଷ୍ଣ ଦୂତ ପଣରେ ଆସିଥିଲେ । ପଡ଼ା ପାଇଁ ଅନୁରୋଧ କଲେ । ଗର୍ବରେ ତାକୁ ଅପମାନିତ କଲ, ନାନା ପ୍ରକାର ଗାଳି ଦେଲ । ଗରବ ଗଞ୍ଜନ ହରି ସେ । ତାଙ୍କୁ ଯେତେ ଅପମାନ ଦେଇଛ, କଳନ୍ତର ସହିତ ସେ ତୁମକୁ ଦେବେ ।

 

ହେ କୁରୁପତି, ପାଣ୍ଡବ ପାଞ୍ଚଭାଇ ବନସ୍ତରେ ମା, ସ୍ତ୍ରୀ ସହିତ ବୁଲିଲେ । ସେଠାରେ ଦୁଷ୍ଟ ଦୈତ୍ୟଙ୍କୁ ବିନାଶ କଲେ । ଶ୍ରୀକୃଷ୍ଣଙ୍କ ସହିତ ଶତ୍ରୁତା କରୁଛ, ତାଙ୍କ ରୀତି ଜାଣିନାହଁକି ? ଦ୍ରୌପଦୀ ହେଉଛନ୍ତି ସାକ୍ଷାତ ପାର୍ବତୀ । ତୁମ ଭାଇ ତାଙ୍କୁ ସଭାକୁ ନେଇ ଉଲଗ୍ନ କରିବାକୁ ଚେଷ୍ଟା କଲା । ଦ୍ରୋପଦୀଙ୍କ କ୍ରୋଧିତ ଚକ୍ଷୁରୁ ନିଆଁ ବାହାରି ତୁମ ରାଜପୁର ପୋଡ଼ିଗଲା ।

 

ଚଉଦିଗରେ ତୁମେ ଅଟ ଚନ୍ଦ୍ର । ଚତୁର ପଣେ ସରି ନୋହେ ଛନ୍ଦ୍ର ।

ଚିତ୍ତେ ନ ମାନ ତ ରାଜାମାନଙ୍କୁ । ଚନ୍ଦ୍ର ପ୍ରାୟ ଆହାଲାଦ ପ୍ରଜାଙ୍କୁ ସେ ।

ଚାଲନ୍ତେଣ ପଦ୍ମଫୁଟି ଯେ ।

ଚକ୍ରବର୍ତ୍ତୀ ମାନଗୋବିନ୍ଦ ବୋଲାଅତୁମ୍ଭେ କକ୍ଷା ଜଗଜ୍ଜେଠୀ ହେ ।୬।

 

ଛତ୍ରୀ ଅଟନ୍ତି ଭୀଷ୍ମ ଦ୍ରୋଣ କର୍ଣ୍ଣ । ଛଳ ନ ବୁଝ ତାହାଙ୍କ ବଚନ ।

ଛନ୍ଦରେ ଖାଇଅଛନ୍ତି ସେ ଦ୍ରବ୍ୟ । ଛଛନ୍ଦେ ମନାସି ପାଣ୍ଡବ ଶୁଭ ସେ ।

ଛନ୍ଦ ପାତିକି ଶକୁନି ଯେ ।

ଛଳେ ପିତା ଶତ୍ରୁ ସାଧିବ ବୋଲିଛିନ ପାରୁଛ ତାହା ଜାଣି ହେ ।୭।

 

ଜାଣୁ ଜାଣୁ ତାଙ୍କ ବୋଲେ ନ ପଡ଼ । ଜଗତେ ଜାଣନ୍ତି ଗୋବିନ୍ଦ ବଡ଼ ।

ଯାହାଙ୍କୁ ଦେଖି କଂସ ନାଶଗଲା । ଯାମାଳା କେଶୀ ବକା ଅଘା ମଲା ସେ ।

ଜରାସନ୍ଧ ଧାଡ଼ି ଦେଲା ଯେ ।

ଜାଣ କି କାଳ ମଦନ ମରାଇଣଭୀମେ ଜରା ମରାଇଲା ଯେ ।୮।

 

ଝଗଡ଼ା କଲେ କରିବ ଗୋସାଇଁ । ଝୁରିବୁ ତ ତୁମ ମୁଖ ନ ଚାହିଁ ।

ଝରୁଥିବ ବେନି ନେତ୍ରରୁ ବାରି । ଝୁରି ମରିବୁ ଚନ୍ଦ୍ରଶାଳା ପୁରୀ ସେ ।

ଝଡ଼ିବ ଏ ମୋର ବାହି ହେ ।

ଝୁରୁଥିବେ ମାତା ପିତା ଯେ ତୁମ୍ଭରବୋଧ ନ କରିବେ କେହି ଯେ ।୯।

 

ନ ଦିଅ ବିଧବା ଅବସ୍ଥା ମୋର । ନ କର ଅପୁତ୍ର ପିତା ମାତାର ।

ନ କର ଛେଉଣ୍ଡ ଲକ୍ଷ୍ମଣ ପୁତ୍ର । ନ କର ଅପାଟକ କୁଳ ଗୋତ୍ର ହେ ।

ନ ନାଶ ସୁନ୍ଦର ହେବ ଯେ ।

ନ କରାଅ କୁରୁ ପାଣ୍ଡବେ ଅପ୍ରୀତିରଖ ରାଜ୍ୟ ଦୁର୍ଗଭାର ହେ ।୧୦।

 

ଭାବାର୍ଥ-(୬-୧୦) ହେ କୁରୁପତି, ଚତୁର୍ଦ୍ଦିଗରେ ତୁମର ଖ୍ୟାତି ଅଛି । ଚତୁର ପଣରେ ଇନ୍ଦ୍ର ତୁମକୁ ସରି ହେବ ନାହିଁ । ରାଜାମାନଙ୍କୁ ପାଦତଳେ ଖଟାଉଛ । ତୁମେ ଚାଲିଲେ ପଦ୍ମ ଫୁଟୁଛି-। ଚକ୍ରବର୍ତ୍ତୀ ମାନଗୋବିନ୍ଦ ତୁମେ । ଭୀଷ୍ମ, ଦ୍ରୋଣ, କର୍ଣ୍ଣ ତୁମ ପାଖରେ ଅଛନ୍ତି । ତାଙ୍କ କଥାକୁ ଛଳ ବୋଲି ଭାବ ନାହିଁ । ଭୀଷ୍ମ, ଦ୍ରୋଣ ପାଣ୍ଡବଙ୍କ ଶୁଭ ମନାସୁଛନ୍ତି । ଶକୁନି ପିତାଶତ୍ରୁ ସାଧବ ବୋଲି ଭାବୁଛି । ତୁମେ ତାହା ଜାଣିପାରୁ ନାହଁ । ଜାଣୁ ଜାଣୁ ତାଙ୍କ ବୋଲରେ ପଡ଼ନାହିଁ । ଜଗତରେ ଶ୍ରୀକୃଷ୍ଣ ହିଁ ବଡ଼ । ତାଙ୍କୁ ଦେଖି କଂସ ନାଶଗଲା । ତାଙ୍କରି ହାତରେ ବକା ଅଘ ନାଶଗଲେ । ଜରାସନ୍ଧ ମଲା ।

 

ହେ କୁରୁପତି, ମୋ କଥା ଶୁଣ । ପାଣ୍ଡବଙ୍କ ସହ ଝଗଡ଼ା କଲେ ତୁମର ସର୍ବନାଶ ହେବ-। ତୁମ୍ଭ ମୁଖ ନ ଚାହିଁ ଆମେ ଝୁରିବୁ । ଆମ ଆଖିରୁ ସର୍ବଦା ଲୁହ ଝରିବ । ଚନ୍ଦ୍ରଶାଳା ପୁରରେ ଝୁରି ମରିବୁ । ତୁମ ପିତା, ମାତା ଝୁରିବେ । ସେମାନଙ୍କୁ ବୋଧ କରିବା ପାଇଁ ପାଖରେ କିଏ ନ ଥିବ । ହେ କୁରୁପତି, ମୋତେ ବୈଧବ୍ୟ ଯନ୍ତ୍ରଣା ଦିଆ ନାହିଁ । ପିତାମାତାଙ୍କୁ ପୁତ୍ରହୀନ କଷ୍ଟ ଦିଅ ନାହିଁ । ଲକ୍ଷ୍ମଣ କୁମାରକୁ ବାପା ଛେଉଣ୍ଡ କର ନାହିଁ-। କୁଳଗୋତ୍ରକୁ ଅପାଟକ କର ନାହିଁ-। କୁରୁ-ପାଣ୍ଡବରେ ଅପ୍ରୀତି କରାଅ ନାହିଁ । ରାଜ୍ୟକୁ ବଞ୍ଚାଅ ।

 

ଟାଣ ନୁହନ୍ତି ଯୁଧିଷ୍ଠି ଗୋସାଇଁ । ଟାକିଛନ୍ତି ତୁମ୍ଭ ବଚନ ପାଇଁ ।

ଟିକିଏ ତାଙ୍କ ମନେ ନାହିଁ ହିଂସା । ଟୋକାଙ୍କର ବୋଲେ ଖେଳିଲେ ପଶା ସେ ।

ଟାଣ କରିଅଛି ଭୀମା ଯେ ।

ଟାକିଛି ଭାରତ ଯୁଦ୍ଧରେ ଦୁଃଶାରଭାଙ୍ଗିବ ସବୁ ଗରିମା ଯେ ।୧୧।

 

ଠିକ୍‌ କଥା ଯେତେ କହିଲେ ରାଣୀ । ଠକାଇ ମଣିଲା ତ କୁରୁମଣି ।

ଠାଣି ମାଣି ହୋଇ ପ୍ରତିଜ୍ଞା କଲା । ଠିକେ ଭୂମେ କର ମାଡ଼ି ବସିଲା ସେ ।

ଠକାଇଛି ତାକୁ ବିହି ଯେ ।

ଠିକେ ନରହରି ବ୍ରାହ୍ମଣ କହଇଦୁର୍ବୁଦ୍ଧି ତାକୁ ଦିଶଇ ଯେ ।୧୨।

 

ଡୋଳା ବୁଲାଇ ବୋଲୁଅଛି ବାଣୀ । ଡରାଇଲେ କି ଡରେ କୁରୁମଣି ।

ଡଗରା ଗଉଡ଼କୁ କର ବଡ଼ । ଡରେ ସିନ୍ଧୁ ମଧ୍ୟେ ବାନ୍ଧିଲା ବାଡ଼ ସେ ।

 

 

ଡରେ ଥିଲା ଗୋପେ ଲୁଚି ଗୋ ।

ଡରିଗଲା କଂସ ଅଷ୍ଟସେନା ମୂଳେନ ପାରିଲା ବୁଦ୍ଧି ପାଞ୍ଚି ଗୋ ।୧୩।

 

ଢମ ପ୍ରାଣେ ମଣୁ ତୋହର କୃତ୍ୟ । ଢୋଲ ବାଦ୍ୟରେ କି ତାଣ୍ଡବ ନୃତ୍ୟ ।

ଢମ ଯୁଦ୍ଧେ ତାକୁ ହେଳେ ଜିଣିବା । ଢାଲେ ଦେବର କିମ୍ପା ମାରିବା ସେ ।

ଢମପଣେ ପାଞ୍ଚଭାଇ ଗୋ ।

ଢମାଳିଆ ଗୋପେ ଗାଈ ଯେ ଚରାଏହୋଇଅଛି ତାଙ୍କ ସାଥି ଗୋ ।୧୪।

 

ଊନଶତ ଭାଇ ଅଛନ୍ତି ସଙ୍ଗେ । ଊଣା ନୁହନ୍ତି କେହି ରଣ ରଙ୍ଗେ ।

ଊଣା ନୁହନ୍ତି ଭୀଷ୍ମ ଦ୍ରୋଣ କର୍ଣ୍ଣ । ଊଣା ନୁହନ୍ତି ସେ କୃପ ବ୍ରାହ୍ମଣ ଗୋ ।

ଅଶ୍ୱଥମା ମହାରଥୀ ଗୋ ।

ଊଣା ନୁହନ୍ତି ସେ ଶଲ୍ୟ ଜୟଦ୍ରଥରେଣୁଟି ମଣନ୍ତି ପୃଥ୍ୱୀ ଗୋ ।୧୫।

 

ଭାବାର୍ଥ-(୧୧-୧୫) ହେ କୁରୁପତି, ଯୁଧୁଷ୍ଠିର ଉଦାର । ତାଙ୍କ ମନରେ ଟିକିଏ ମାତ୍ର ହିଂସା ନାହିଁ । ତୁମ କଥାକୁ ଚାହିଁ ରହିଛନ୍ତି । ଟୋକାମାନଙ୍କର ବୋଲରେ ସେ ପଶା ଖେଳିଲେ । ଭୀମ ପ୍ରତିଜ୍ଞା କରିଛି, ଭାରତ ଯୁଦ୍ଧରେ ଦୁଃଶାର ଗର୍ବ ଭାଙ୍ଗିବ ।

 

ଭାନୁମତୀ ରାଣୀ ଦୁର୍ଯ୍ୟୋଧନକୁ ଯେତେ ବୁଝାଇ କହିଲେ ମଧ୍ୟ ସେ ଶୁଣିଲା ନାହିଁ । ଓଲଟି ପ୍ରତିଜ୍ଞା କଲା । ବିଧାତା ତାକୁ ଭଲ ବୁଦ୍ଧି ଦେଖାଇଲା ନାହିଁ । ନରହରି ବ୍ରାହ୍ମଣ କହିଲେ-ଦୁର୍ଯ୍ୟୋଧନକୁ ଦୁର୍ବୃଦ୍ଧି ଘୋଟିଲା । ରାଣୀର କଥା ଶୁଣି ରାଗରେ ଦୁର୍ଯ୍ୟୋଧନ କହିଲା-ଡରାଇଲେ ମୁଁ କ’ଣ ଡରିଯିବି ? ଡଗରା (ନିଜର ପ୍ରଚାର କରୁଥିବା ଲୋକ) ଗଉଡ଼କୁ ବଡ଼ କରୁଛ ? ଭୟାଳୁ ସେ । ଡରରେ ସମୁଦ୍ର ମଧ୍ୟରେ ବାଡ଼ ବାନ୍ଧିଲା । ଡରରେ ଗୋପରେ ଲୁଚିଥିଲା । କଂସର ଅଷ୍ଟସେନାକୁ ଡରି କ’ଣ କରିବ ଜାଣିପାରିଲା ନାହିଁ-। ଢୋଲ ବାଦ୍ୟରେ କ’ଣ ତାଣ୍ଡବ ନୃତ୍ୟ ହେବ-? ଯୁଦ୍ଧରେ ତାଙ୍କୁ ଜିଣିବି । ମୂର୍ଖ ପଣରେ ପାଞ୍ଚଭାଇ ଗୋପରେ ଗାଈ ଚରାଉଥିବା ଗଉଡ଼କୁ ସାଥୀ କରିଛନ୍ତି । ମୋ ସାଙ୍ଗରେ ଅନେଶ୍ୱତ ଭାଇ ଅଛନ୍ତି । ଯୁଦ୍ଧରେ ସେମାନଙ୍କୁ କେହି ସମାନ ହେବେ ନାହିଁ । ଭୀଷ୍ମ, ଦ୍ରୋଣ, କର୍ଣ୍ଣ ବି ଊଣା ନୁହଁନ୍ତି । କୃପାଚାର୍ଯ୍ୟ, ଅଶ୍ଵତ୍‍ଥାମା ମହାରଥୀ, ଶଲ୍ୟ, ଜୟଦ୍ରଥ ବି ଊଣା ନୁହଁନ୍ତି ।

 

ତାଙ୍କ ଥିଲେ ମୋର ଭୟ କାହାକୁ । ତୃଣ ମଣଇଁ ମୁଁ ପଣ୍ଡୁ ପୁଅଙ୍କୁ ।

ତୋଳି ଧରେ ସତୁରୀ ଭାର ଗଦା । ତୁ ମୋତେ ମଣୁକି ସାମାନ୍ୟ ଯୋଦ୍ଧା ମୁଁ ।

ତୀର କମାଣେ କୁଶଳ ଗୋ ।

ତୁ ତ ଜାଣୁ କର୍ଣ୍ଣ ବଡ଼ ଜଗଜେଠୀଭାରତ ଯୁଦ୍ଧରେ ମଲ୍ଲ ଗୋ ।୧୬।

 

ଥାଟ ମୋର ଏଗାର ଅକ୍ଷୌହିଣୀ । ଥରେ ଚାଲନ୍ତେ କମ୍ପଇ ଧରଣୀ ।

ଥରହର ହୋଇ ଡରଇ ଇନ୍ଦ୍ର । ସ୍ଥିତ ଜଗତେ ଯେତେକ ନରେନ୍ଦ୍ର ସେ ।

ଥାନ୍ତି ବଶ ହୋଇ ମୋତେ ଗୋ ।

ଥାନ ମୋର ସିନା ଜୟନ୍ତା ବାରୁଣାଯମପ୍ରସ୍ଥ ଇନ୍ଦ୍ରପ୍ରସ୍ଥ ଗୋ ।୧୭।

 

ଦୁର୍ଯ୍ୟୋଧନ ମହାରାଜା ବୋଲାଇ । ଦେଲେ ପାଦ ପୃଥ୍ୱୀ ପଦ୍ମ ଫୁଟଇ ।

ଦେଲେ କର ପାଷାଣ ହୋଏ ସ୍ୱର୍ଣ୍ଣ । ଦିବ୍ୟସୁନ୍ଦର ବୟସ ନବୀନ ଯେ ।

 

 

ଦୁଃଖୀ ମୋ ରାଜ୍ୟରେ ନାହିଁ ଗୋ ।

ଦାନେ ଧ୍ୟାନେ ଶ୍ରେଷ୍ଠ ମାନଚକ୍ରବର୍ତ୍ତୀଗୁରୁ ମୋ ଦ୍ରୋଣ ଗୋସାଇଁ ଗୋ ।୧୮।

 

ଧଇଲେ ଶସ୍ତ୍ର ହାରେ ସୁରପତି । ଧଇଲେ ଖଡ଼ି ହାରେ ବୃହସ୍ପତି ।

ଧନାଢ଼୍ୟରେ ସରି ନୁହେଁ କୁବେର । ଧନୁ ଧଇଲେ ଜିଣଇ ମୁଁ ଶଙ୍କର ।

ଧ୍ରୁବ ହେବ ଏହା ଯେବେ ଗୋ ।

ଧାତା ଅନୁକୂଳ କର୍ମ ବିଫଳକୁ ଜିଣିବେଅବା ପାଣ୍ଡବେ ଗୋ ।୧୯।

 

ନ କରେ କୃଷ୍ଣ ପାଣ୍ଡବରେ ପ୍ରୀତି । ନ ଦିଅଇ ତିଳ ପ୍ରମାଣେ ପୃଥ୍ୱୀ ।

ନ ଭାଙ୍ଗଇ ମୁଁ ଶକୁନି ବଚନ । ନ କରଇ ମୁଁ କାହାକୁ ହିଁ ମାନ୍ୟ ସେ ।

ନିଶ୍ଚୟ ସତ୍ୟ ମୋହର ଗୋ ।

ନ କରିବ ପ୍ରୀତି ପିଣ୍ଡେ ପ୍ରାଣ ଥିଲେନିଶ୍ଚେ କରିବି ସମର ଗୋ ।୨୦।

 

ଭାବାର୍ଥ-(୧୬-୨୦) ହେ ରାଣ, ସେମାନେ ମୋ ପାଖରେ ଥିଲେ କାହାକୁ କାହିଁକି ଭୟ କରିବି ? ପାଞ୍ଚ ଭାଇଙ୍କୁ ମୁଁ ତୃଣ ସମାନ ମନେ କରେ । ମୋ ହାତରେ ସତୁରୀ ଭାର ଗଦା ଅଛି । ତୀର କମାଣ ଚାଳନରେ ମୁଁ ଧୁରନ୍ଧର । ତୁ ମୋତେ ସାମାନ୍ୟ ଯୋଦ୍ଧା ଭାବୁଛୁ କି ? ତୁ କ’ଣ ଜାଣିନୁ, ଭାରତ ଯୁଦ୍ଧରେ କ’ଣ ବଡ଼ ମଲ୍ଲ ବୋଲି ? ମୋ ଥାଟରେ ଏଗାର ଅକ୍ଷୌହିଣୀ ସୈନ୍ୟ ରହିଛନ୍ତି । ଥରେ ଚାଲିଲେ ଧରଣୀ କମ୍ପି ଉଠୁଛି । ପୃଥିବୀର ସମସ୍ତ ରାଜା ମୋର ବଶ । ଜୟନ୍ତୀ, ବାରୁଣା, ଯମପ୍ରସ୍ତ ଓ ଇନ୍ଦ୍ରପ୍ରସ୍ଥ ମୋର ରାଜ୍ୟ । ଦୁର୍ଯ୍ୟୋଧନ ମହାରାଜା । ଧରଣୀରେ ପାଦ ଦେଲେ ପଦ୍ମ ଫୁଟିଥାଏ । ପାଷାଣରେ ହାତ ଦେଲେ ତାହା ସୁନା ହୋଇଯାଏ । ଦିବ୍ୟ ସୁନ୍ଦର ବୟସ । ମୋ ରାଜ୍ୟରେ କେହି ଦୁଃଖୀ ନାହାନ୍ତି । ଶ୍ରେଷ୍ଠ ମାନଚକ୍ରବର୍ତ୍ତୀ ମୁଁ । ଗୁରୁ ମୋର ଦ୍ରୋଣାଚାର୍ଯ୍ୟ ।

 

ହେ ରାଣୀ ଭାନୁମତି, ମୁଁ ଯଦି ହାତରେ ଶସ୍ତ୍ର ଧରିବି, ଇନ୍ଦ୍ର ଭୟରେ ଲୁଚିବ । ଖଡ଼ି ଧରିଲେ ବୃହସ୍ପତିଙ୍କ ବିଦ୍ୟା ଲୁଚିଯିବ । ଧନୁ ଧରିଲେ ଶଙ୍କର ବି ହାରିଯିବେ; କିନ୍ତୁ ପାଣ୍ଡବଙ୍କୁ ଯଦି ବିଧାତା ଅନୁକୂଳ ଓ ଆମ କର୍ମ ବିଫଳ ହେଲେ ପାଣ୍ଡବମାନେ ହୁଏତ ଯୁଦ୍ଧରେ ଜିଣିବେ । ମୁଁ କୃଷ୍ଣ ଓ ପାଣ୍ଡବଙ୍କୁ ସ୍ନେହ କରେ ନାହିଁ । ତିଳ ପ୍ରମାଣେ ଭୂମି ତାଙ୍କୁ ଦେବି ନାହିଁ । ମାମୁ ଶକୁନିଙ୍କ କଥା ମୁଁ ଭାଙ୍ଗି ପାରିବି ନାହିଁ । ମୁଁ କାହାକୁ ମାନ୍ୟ କରେ ନାହିଁ । ଏହା ମୋର ସତ୍ୟ, ପିଣ୍ଡରେ ପ୍ରାଣ ଥିବା ଯାଏଁ କାହା ସହିତ ସନ୍ଧି କରିବି ନାହିଁ, ନିଶ୍ଚୟ ଯୁଦ୍ଧ କରିବି ।

 

ପନ୍ମଗ ନାରାୟଣ ମୁଁ ହୋଇଲା । ପାଷାଣ ଗାର ମୋ କଥା ଅଟଇ ।

ପାଣ୍ଡବ ନାମ ନ ଥୋଇବି ପୃଥ୍ୱୀ । ପ୍ରତିଜ୍ଞା କରି ଉଠିଲା ନୃପତି ସେ ।

ପ୍ରିୟବତୀ ହେଲା ତୁନି ଯେ ।

ପ୍ରଚଣ୍ଡ ଖଡ଼ଗ ଝମକାଇ ବୋଲେସାଜ ମୋହର ସଇନୀ ଯେ ।୨୧।

 

ଫରମାସେ ଆସେ ସୈନ୍ୟ ସକଳ । ଫରଫର ଉଡ଼େ ନେତ ଚିରାଳ ।

ସ୍ଫୁରିଲା ଶଙ୍ଖ ବାଜିଲା ଟମକ । ଫୁରୁଣାରେ ବିଜେ କୁରୁ ନାୟକ ସେ ।

ଫରି ଖଣ୍ଡାଧରି ଧନୁ ଯେ ।

ଫଳୀ ମୁଦୁଗର ଭୂଷଣ୍ଡୀ ଶକତିରଥ ଗଜ ଅଶ୍ୱ ଚଢ଼ି ଯେ ।୨୨।

 

 

 

ବାରତା ପାଇ ବାହାର ପାଣ୍ଡବ । ବୀର ଭୀମ ନକୁଳ ସହଦେବ ।

ବାହାର ହେଲେ ନନ୍ଦିଘୋଷ ରଥ । ବାସୁଦେବ ସାରଥି ରଥୀ ପାର୍ଥ ସେ ।

ବିଜେ ଯୁଧିଷ୍ଠିର ରାଜା ଯେ ।

ବଜ୍ର ସାତ ଅକ୍ଷୌହିଣୀ ସଙ୍ଗେଘେନି ବଜାଇଣ ବୀର ବାଜା ଯେ ।୨୩।

 

ଭେରୀ ମର୍ଦ୍ଦଳ ବାଜେ ବୀରତୂର । ଭୀଷ୍ମ ସେନାପତି କୁରୁସୈନ୍ୟର ।

ଭଲା ବ୍ୟାଘ୍ରଚର୍ମ ରଥେ ମଣ୍ଡଣି । ଭୀଷ୍ମ ନୃପତି କର୍ଣ୍ଣ ସଙ୍ଗେ ଘେନି ସେ ।

ଭେଟ କୁରୁକ୍ଷେତ୍ର ଭୂମି ଯେ ।

ଭଣେ ନରହରି ପୂର୍ବରେ ପାଣ୍ଡବେପଶ୍ଚିମ କୁରୁ ସଇନୀ ଯେ ।୨୪।

 

ମହାଭାରତ ଦେବଙ୍କୁ ଦୁର୍ଲଭ । ମରାମରି ହେଲେ କୁରୁପାଣ୍ଡବ ।

ମଲେ ମନୁଷ୍ୟ ମଡ଼ା ଦେଖା ନାହିଁ । ମାଇଲେ ଭୀଷ୍ମ ସେନାପତି ହୋଇ ସେ ।

ମଧ୍ୟେ ଶୋଭା ନନ୍ଦିଘୋଷ ଯେ ।

ମହାକ୍ଷତ୍ରୀ ପାର୍ଥ ସଇନ୍ୟ ସଜାଇସଙ୍ଗେ ଘେନି ପୀତବାସ ଯେ ।୨୫।

 

ଭାବାର୍ଥ-(୨୧-୨୫) ଦୁର୍ଯ୍ୟୋଧନ ପୁଣି ଗର୍ବରେ କହିଲା-“ମୁଁ ପନ୍ନଗ ନାରାୟଣ । ମୋ କଥା ପାଷାଣରେ ଗାର । ପାଣ୍ଡବ ନାମକୁ ପୃଥିବୀରେ ରଖିବି ନାହିଁ ।" ଦୁର୍ଯ୍ୟୋଧନର ପ୍ରତିଜ୍ଞା ଶୁଣି ରାଣୀ ପଦ୍ମାବତୀ ତୁନି ହୋଇଗଲେ । ଖଣ୍ଡା ଚମକାଇ ସୈନ୍ୟମାନଙ୍କୁ ଆଦେଶ ଦେଲା ସୈନ୍ୟ ସଜା କର । ଦୁର୍ଯ୍ୟୋଧନର ଆଜ୍ଞା ମାତ୍ରକେ ସୈନ୍ୟମାନେ ଯୁଦ୍ଧଯାତ୍ରା ପାଇଁ ପ୍ରସ୍ତୁତ ହେଲେ-। ଫରଫର ହୋଇ ବାନା ଉଡ଼ିଲା । ଶଙ୍ଖନାଦ ହେଲା, ଟମକ ବାଜିଲା । ଫୁରୁଣା(ଆନନ୍ଦ)ରେ ଦୁର୍ଯ୍ୟୋଧନ ରଥରେ ଚଢ଼ି ହାତରେ ଖଣ୍ଡା ଧନୁ ଧରି ବିଜେ କଲା ।

 

ଦୁର୍ଯ୍ୟୋଧନର ସମରସଜ୍ଜା ବାର୍ତ୍ତା ପାଇ ପାଣ୍ଡବମାନେ ବାହାର ହେଲେ । ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ବାହାରିଲେ । ଶ୍ରୀକୃଷ୍ଣ, ଅର୍ଜୁନ ନନ୍ଦିଘୋଷରେ ଚଢ଼ି ଗଲେ । ଯୁଦ୍ଧ ବାଦ୍ୟରେ ଜଗତ କମ୍ପି ଉଠିଲା । ଭେରୀ, ମର୍ଦ୍ଦଳ, ବୀରତୂର ବାଜିଲା । କୌରବ ସେନା ପକ୍ଷରୁ ଭୀଷ୍ମ ସେନାପତି ହେଲେ । ତାଙ୍କ ସଙ୍ଗରେ କର୍ଣ୍ଣ । ଯୁଦ୍ଧ ଭୂମିରେ ଦୁଇ ପକ୍ଷ ମଧ୍ୟରେ ଭେଟ ହେଲା ।

 

ଯୁଦ୍ଧ ଭୂମିର ପୂର୍ବରେ ପାଣ୍ଡବମାନେ ଓ ପଶ୍ଚିମ ଦିଗରେ କୌରବମାନେ ରହିଲେ । ମହାଭାରତର କଥା ଦେବଙ୍କୁ ଦୁର୍ଲଭ । ଦୁଇପକ୍ଷ ସୈନ୍ୟଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା । ବହୁତ ସୈନ୍ୟ ମଲେ । ଭୀଷ୍ମ ସେନାପତି ଅନେକ ସୈନ୍ୟଙ୍କୁ ବଧ କଲେ । ଯୁଦ୍ଧ ମଧ୍ୟରେ ନନ୍ଦିଘୋଷ ଶୋଭା ପାଉଥାଏ । ମହାବୀର ଅର୍ଜୁନ ସୈନ୍ୟ ଗହଣରେ ଯୁଦ୍ଧକ୍ଷେତ୍ରରେ ଥାଆନ୍ତି । ତାଙ୍କ ସଙ୍ଗରେ ଶ୍ରୀକୃଷ୍ଣ ।

 

ଜାହ୍ନବୀ ସୁତ ଅର୍ଜ୍ଜୁନ ସମର । ଜଳଧାର ପ୍ରାୟେ ପଡ଼ିଛି ଶର ।

ଯୁଦ୍ଧ କଲେ ଦଶଦିନ ଯେ ।

ଯୁଦ୍ଧେ ରଥୀ ଦଶସହସ୍ର ମାଇଲେଝାଳ ପୋଛନ୍ତି ଅର୍ଜ୍ଜୁନ ଯେ ।୨୬।

 

ରଣଗୋଳ ଭୀଷ୍ମ ବହୁତ କଲେ । ରଣରେ ଶରଶଯ୍ୟାରେ ଶୋଇଲେ ।

ରଣକଲେ ଦ୍ରୋଣ ବ୍ୟୂହ ଭିଆଇ । ରଣକୁଟେ ଅଭିମନ୍ୟୁ ମରାଇ ସେ ।

ରଣେ ଶସ୍ତ୍ର ଛାଡ଼ି ମଲେ ଯେ ।

ରୋଷଭର ହୋଇ କର୍ଣ୍ଣ ସେନାପତିତକ୍ଷକ ବିଳେ ପଶିଲେ ଯେ ।୨୭।

 

ଲୁଚାଇଲା ରଥ ହନୁ ପାତାଳେ । ଲେଉଟିଲେ ସର୍ପ ଗିଳି ଚିରାଳେ ।

ଲଲାଟ ଲେଖନ ଅଟକେ ରଥ । ଲୀଳାଯୁଦ୍ଧେ ତାକୁ ମାଇଲା ପାର୍ଥ ସେ ।

ଲାଗେ ଭୀମ ଦୁଃଶା ରଣ ଯେ ।

ଲେଉଟାଇ ଦୁଃଶା ଭୁଜ ଉପାଡ଼ନ୍ତିରୁଧିରେ ଦ୍ରୌପଦୀ ସ୍ନାନ ଯେ ।୨୮।

 

ବଜାଇ ପାଞ୍ଚଜନ୍ୟ ଶଙ୍ଖ ହରି । ବୀର ମହାବୀର ହେଳେ ସଂହାରି ।

ବୀର ଶଲ୍ୟ ଜୟଦ୍ରଥ ଲକ୍ଷ୍ମଣ । ବଧ ହୋଇଲେ କୁରୁ ବଳ ସୈନ୍ୟ ସେ ।

ବହିଲା ରୁଧିର ନଈ ଯେ ।

ବୀର ଦୁର୍ଯ୍ୟୋଧନ ଭାସି ଯାଉଅଛିରଥୀମାନଙ୍କୁ ମରାଇ ଯେ ।୨୯।

 

ସତୁରୀଭାର ଗଦା କରେ ନେଇ । ସ୍ୱପୁତ୍ର ମଡ଼ା ପରେ ଭାରା ଦେଇ ।

ଶୋଣିତ ନଦୀ ପାରି ହୋଇଗଲା । ସରୋବରରେ ଯାଇଣ ଲୁଚିଲା ସେ ।

ସରିଲା ଶିରୀ ସମ୍ପଦ ଯେ ।

ସର୍ବ ସୈନ୍ୟଙ୍କୁ ସଂହାରିଣ ପାଣ୍ଡବେଖୋଜନ୍ତି ମାନଗୋବିନ୍ଦ ଯେ ।୩୦।

 

ଭାବାର୍ଥ-(୨୬-୩୦) ଭୀଷ୍ମ ଓ ଅର୍ଜୁନଙ୍କ ମଧ୍ୟରେ ଘୋର ଯୁଦ୍ଧ ଚାଲିଲା । ଜଳଧାର ପ୍ରାୟ ଶର ବୃଷ୍ଟ ହେଉଥାଏ । ଏମିତି ଦଶଦିନ ଯାଏଁ ଯୁଦ୍ଧ ଚାଲିଲା । ଅର୍ଜୁନ ଯୁଦ୍ଧରେ ଦଶ ସହସ୍ର ରଥୀଙ୍କୁ ବଧ କଲେ । ଭୀଷ୍ମ ପ୍ରବଳ ଯୁଦ୍ଧ କଲେ । ଦଶଦିନ ଯୁଦ୍ଧ ପରେ ଶରଶଯ୍ୟାରେ ଶୋଇଲେ-। ତା’ପରେ ଦ୍ରୋଣ ବ୍ୟୂହ ରଚନା କରି ଯୁଦ୍ଧ କଲେ । କପଟ କରି ଅଭିମନ୍ୟୁକୁ ମରାଇଲେ । ଦ୍ରୋଣଙ୍କ ମୃତ୍ୟୁପରେ କର୍ଣ୍ଣ ସେନାପତି ହେଲେ । କର୍ଣ୍ଣ-ଅର୍ଜୁନ ଯୁଦ୍ଧ ବେଳେ ତକ୍ଷକ ନନ୍ଦିଘୋଷ ରଥକୁ ଗିଳି ଦେବାକୁ ଆସିଲା ବେଳେ ହନୁମାନ ରଥଟିକୁ ପାତାଳରେ ଲୁଚାଇଦେଲେ-। ତକ୍ଷକ ପତାକା ଗିଳି ଫେରିଲା । ଲଲାଟ ଲିଖନ । କର୍ଣ୍ଣଙ୍କ ରଥ ମାଟି ତଳେ ପଶିଗଲା । ଅର୍ଜୁନ କର୍ଣ୍ଣଙ୍କୁ ବଧ କଲେ । ଭୀମ ଦୁଃଶା ମଧ୍ୟରେ ଯୁଦ୍ଧ ଚାଲିଲା । ଦୁଃଶାକୁ ତଳେ ଲେଉଟାଇ ଭୀମ ତା’ର ଭୁଜ ଉପାଡ଼ି ରୁଧିର ପାନ କଲେ । ରକ୍ତରେ ଦ୍ରୌପଦୀଙ୍କ କେଶ ବନ୍ଧନ କଲେ ।

 

ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ଶଙ୍ଖ ବଜାଇଲେ । ବହୁ ବୀର ମହାବୀର ମୃତ୍ୟୁମୁଖରେ ପଡ଼ିଲେ । ଶଲ୍ୟ, ଜୟଦ୍ରଥ, ଲକ୍ଷ୍ମଣ ସମେତ ବହୁ କୁରୁ ସୈନ୍ୟ ଯୁଦ୍ଧରେ ମଲେ । ରକ୍ତର ନଦୀ ବହିଲା । ରଥୀମାନଙ୍କୁ ମରାଇ ସେଥିରେ ଦୁର୍ଯ୍ୟୋଧନ ଭାସି ଯାଉଛି । ସତୁରୀଭାର ଗଦାକୁ ହାତରେ ଧରି, ନିଜ ପୁତ୍ରର ଶବ ଉପରେ ଭାରା ଦେଇ ଦୁର୍ଯ୍ୟୋଧନ ରକ୍ତନଦୀ ପାର ହେଲା । ସରୋବରରେ ଯାଇ ଲୁଚିଲା । ତା’ର ଶିରୀ ସମ୍ପଦ ନଷ୍ଟ ହୋଇଗଲା । ସବୁ ଶତ୍ରୁ ସୈନ୍ୟଙ୍କୁ ବିନାଶ କରିବା ପରେ ପାଣ୍ଡବମାନେ ଦୁର୍ଯ୍ୟୋଧନକୁ ବଧ କରିବାକୁ ଖୋଜିଲେ ।

 

ଶୀଘ୍ର ଭୀମ ତିନି ରଡ଼ି ଛାଡ଼ିଲା । ସହି ନ ପାରି ରାଜନ ଧାଇଁଲା ।

ସତୁରୀଭାର ଗଦା କରେ ବହି । ସଂଗ୍ରାମ କଲା ଆସି ରଣ ଭୂଇଁ ଯେ ।

ସମ୍ମୁଖେ ମିଳିଲା ଭୀମ ଯେ ।

ସେହି ଗଦାଯୁଦ୍ଧେ ପିଟା ପିଟି ହେଲେବଢ଼ିଲା ଗୋର ସଂଗ୍ରାମ ସେ ।୩୧।

 

ଶରୀର ବଜ୍ର ଅଟଇ ତାହାରି । ଶୀଘ୍ରେ ଜାନୁକୁ ଠାରି ଦେଲେ ହରି ।

ଶୁଣି ଭୀମ ଗଦା ପିଟିଲା ନେଇ । ଶୋଇଲା ରାଜା ଜାନୁ ଭଗ୍ନ ହୋଇ ସେ ।

ସରିଲା ସକଳ ଟାଣ ଯେ ।

ସର୍ବ ସୈନ୍ୟ ମାରି ଜୟଶଙ୍ଖ ବାଇବିଜେ ଯୁଧିଷ୍ଠିର ରାଣ ଯେ ।୩୨।

 

ହତ ହୋଇଲେ ଶତ ଅନ୍ଧବଳା । ହୋଇଲେ ବିଧବା ତାଙ୍କ ଅବଳା ।

ହରି ପାଣ୍ଡବଙ୍କୁ ଘେନିଣ ସଙ୍ଗେ । ହସ୍ତିନାରେ ବୋଧି ବନ୍ଧୁଙ୍କୁ ବେଗେ ସେ ।

ହେଲେ ଯୁଧିଷ୍ଠିର ରାଜା ଯେ ।

ହୋଇଲେ ପଞ୍ଚ କଟକରେ ରାଜାପାଳିଲେ ଜନ ପରଜା ଯେ ।୩୩।

 

କ୍ଷମାସାଗର ଦ୍ୱାରିକାକୁ ଗଲେ । କ୍ଷିତିପତିମାନେ ମେଲାଣି ହେଲେ ।

କ୍ଷିତିପତିଗଣ ପାଣ୍ଡବେ ନେଲେ । ଛଇଳା କହ୍ନାଇ ଏମନ୍ତ କଲେ ସେ ।

କ୍ଷୀରୋଦରେ ଶାୟୀ ସାହା ହେ ।

କ୍ଷମେ ନରହରି ବ୍ରାହ୍ମଣ କହଇସାମନ୍ତ ମୋ ଲକ୍ଷ୍ମୀନାହା ଯେ ।୩୪।

 

ଭାବାର୍ଥ-(୩୧-୩୪) ଭୀମ ତିନିଟା ବଜ୍ର ରଡ଼ି ଛାଡ଼ିଲେ । ତାହା ସହି ନ ପାରି ଦୁର୍ଯ୍ୟୋଧନ ସରୋବରରୁ ବାହାରି ଆସିଲା । ସତୁରୀ ଭାର ଗଦା ହାତରେ ଧରି ଆସି ଯୁଦ୍ଧ କଲା । ଭୀମ-ଦୁର୍ଯ୍ୟୋଧନ ମଧ୍ୟରେ ଘୋର ସଂଗ୍ରାମ ହେଲା । ଦୁର୍ଯ୍ୟୋଧନର ଶରୀର ବଜ୍ରପରି । ତେଣୁ ଜାନୁକୁ ଭାଙ୍ଗିବା ପାଇଁ ଶ୍ରୀକୃଷ୍ଣ ଭୀମଙ୍କୁ ଠାରିଦେଲେ । ଭୀମ ସେ ଅନୁସାରେ ଗଦାରେ ଦୁର୍ଯ୍ୟୋଧନର ଜାନୁଭଗ୍ନ କଲା । ତା’ର ସକଳ ଟାଣ ସରିଲା । ଯୁଦ୍ଧରେ ବିଜୟ ଲାଭ କରି ଜୟଶଙ୍ଖ ବଜାଇ ଯୁଧିଷ୍ଠିର ହସ୍ତିନାପୁରକୁ ବିଜେ କଲେ ।

 

ଧୃତରାଷ୍ଟ୍ରଙ୍କ ଶହେପୁତ୍ର ହତ ହେଲେ । ହସ୍ତିନାରେ ଯୁଧିଷ୍ଠିର ରଜା ହେଲେ । ପଞ୍ଚ କଟକରେ ରାଜା ହୋଇ ସୁଖରେ ପ୍ରଜାଙ୍କୁ ପାଳନ କଲେ । କ୍ଷମା ସାଗର ଶ୍ରୀକୃଷ୍ଣ ଦ୍ଵାରିକାକୁ ଗଲେ-। ରାଜାମାନେ ମେଲାଣି ହେଲେ । ଛଇଳା କହ୍ନାଇ ଏମିତି କଲେ । କ୍ଷୀର ସମୁଦ୍ରରେ ଶୟନକାରୀ ବିଷ୍ଣୁ ସାହା ହୁଅନ୍ତୁ-ନରହରି ବ୍ରାହ୍ମଣ ଏହା କହିଲେ ।

***